ଗାଁ ତୁମେ କେମିତି ଅଛ?

 

ଆଜି ଜଣେ ବନ୍ଧୁଙ୍କ ସହ ଗପସପ କରୁକରୁ କଥା ପଡ଼ିଲା ଗାଁ ଜୀବନ ସମ୍ପର୍କରେ। ପ୍ରକୃତରେ ସେ ମୋର ଜଣେ ବଡ଼ ଭାଇ ଭଳି । ଆମ ଦୁହିଁଙ୍କ ମଧ୍ୟରେ ବୟସର ଅନେକ ତାରତମ୍ୟ ଥିଲେ ମଧ୍ୟ, ଉଭୟଙ୍କ ପିଲାଦିନ କଟିଛି ଗାଁରେ, ଅବଶ୍ୟ ଭିନ୍ନ ଭିନ୍ନ ଜିଲ୍ଲାରେ ଏବଂ ଭିନ୍ନ ଭିନ୍ନ ସମୟରେ । ଏବେ ଆମେ ଦୁହେଁ ଭୁବନେଶ୍ୱରରେ । ଆଲୋଚନାରେ ଦୁଇଟି ପ୍ରସଙ୍ଗ ଥିଲା । ପ୍ରଥମଟି ଆମ ପିଲାମାନେ ଗାଁ ଜୀବନ ସମ୍ପର୍କରେ ଜାଣିବାର ସୁଯୋଗ ପାଉ ନାହାନ୍ତି ବା ପାଇବେ ନାହିଁ ଏବଂ ଦ୍ୱିତୀୟଟି ଆମ ପିଲାବେଳର ଗାଁ ଏବେ ଆଉ ସେଭଳି ନାହିଁ । 

ମୋର ମନେ ଅଛି, ମୁଁ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥାଏ, ଥରେ ଶନିବାର ସକାଳ ସ୍କୁଲ୍‌ରେ ତର୍କ ପ୍ରତିଯୋଗିତା ହେଲା । ଗାଁ ଭଲ, ନା ସହର । ମୋର ଗାଁ ପ୍ରତି ବିଶେଷ ଦୁର୍ବଳତା ଥାଏ । ତେଣୁ କହିବା ବାହୁଲ୍ୟ ଯେ ମୁଁ ଗାଁକୁ ହିଁ ସମର୍ଥନ କଲି । ମୋର ଜଣେ ସହପାଠୀ ସହରକୁ ସମର୍ଥନ କଲେ । ମୋର ମନେ ଅଛି, ତର୍କ ଏତେ ତୀବ୍ର ହେବାରେ ଲାଗିଲା ଯେ, ସାର୍ ଅଧାରୁ ତର୍କ ପ୍ରତିଯୋଗିତା ବନ୍ଦ କରି ପଦ୍ୟାନ୍ତ ପ୍ରତିଯୋଗିତା ଆରମ୍ଭ କଲେ । ଆଉ ଅଭିମାନରେ ସେହି ସହପାଠୀଙ୍କ ସହ ମୋର କିଛି ଦିନ ଯାଏଁ କଥାବାର୍ତ୍ତା ହେଲା ନାହିଁ । କିନ୍ତୁ ଏବେ ଗାଁ ପ୍ରତି ସେହି ଏକା ମମତା ଥିଲେ ବି ସେ ଆକର୍ଷଣ ନାହିଁ । ସହରର ସୁଖସୁବିଧା ଏହାର ପ୍ରକୃତ କାରଣ ନୁହେଁ ।

ପୁଣି ଫେରିବି ସେହି ପୂର୍ବ ପ୍ରସଙ୍ଗକୁ । ଆମ ପିଲାମାନେ ଗାଁ ଜୀବନ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ ନାହିଁ । କେବଳ ଯେ ସହରରେ ରହୁଥିବା ପିଲାମାନେ ଗାଁ ଜୀବନକୁ କେବେ ଅନୁଭବ କରିପାରିବେ ନାହିଁ ତାନୁହେଁ, ଗାଁରେ ରହୁଥିବା ପିଲାମାନେ ମଧ୍ୟ ଏବେ ଅନେକ କାରଣରୁ ଗାଁର ପ୍ରକୃତ ମହତ୍ତ୍ୱକୁ ଉପଲବ୍ଧି କରିବାର ସୁଯୋଗ ପାଉନାହାନ୍ତି । ମୋ ମତରେ ଗାଁର ଆତ୍ମା ହେଉଛି ତାହାର ଶାନ୍ତ ସୁନ୍ଦର ପରିବେଶ, ଲୋକଙ୍କ ସରଳତା, ଭାଇଚାରା ଓ ନିବିଡ଼ ସାମାଜିକ ସମ୍ପର୍କ । ପରମ୍ପରା ଓ ପର୍ବପର୍ବାଣୀ ମଧ୍ୟ । କିନ୍ତୁ ଏବେ ଗାଁରେ ପିଲାମାନଙ୍କୁ ଯଦି ପଚାରାଯାଏ, କେତେଜଣ ପୋଖରୀରେ ପହଁରିଛନ୍ତି, ପାଣିରେ ବୁଡ଼ି ତଳୁ ପଙ୍କ କାଦୁଅ ଉଠାଇବାର ପ୍ରତିଯୋଗିତା କରିଛନ୍ତି, ପୋଖରୀରୁ ନିଜେ ମାଛ ଧରିଛନ୍ତି, କେତେଜଣଙ୍କୁ ଗଛଚଢ଼ା ଆସେ, ବରଗଛ ଓହଳରେ ଝୁଲିଛନ୍ତି, ହୁଏତ ଉତ୍ତର ନିରୁତ୍ସାହଜନକ ହେବ । ଅନେକେ ଏହାକୁ ଦୁଷ୍ଟାମି କହନ୍ତି । କିନ୍ତୁ ଗାଁର ପିଲାମାନେ ଦୁଷ୍ଟାମିରେ ଯାହା ଶିଖିଛନ୍ତି, ସହରରେ ତାହା ମାସିକ ଫି ଦେଇ ଶିଖିବାକୁ ପଡ଼ୁଛି । ଯେମିତି ପାଣିରେ ପହଁରିବା ।

 ଗାଁର ପିଲାମାନେ ପ୍ରକୃତ ଗାଁ ପରମ୍ପରାକୁ ଜାଣିବାର ସୁଯୋଗ ନପାଇବା ପଛରେ ସେମାନଙ୍କ ଭୁଲ ଆଦୌ ନାହିଁ । କାରଣ ଆମେ ଗାଁର ବୟୋଜ୍ୟେଷ୍ଠ ମାନେ ଗାଁକୁ ସହର କରିବା ନିଶାରେ, ଭିତ୍ତିଭୂମି ବିକାଶ ନାଁରେ
ଗାଁର ମୌଳିକତାକୁ ହରାଇ ବସୁଛୁ । ଏବେ ଗାଁରେ ଗଛ ସଂଖ୍ୟା କମିଲାଣି, ପୋଖରୀ ବ୍ୟବହାର ନହେବା ଫଳରେ ଦଳଭର୍ତ୍ତି ହୋଇ ପୋତିବାକୁ ବସିଲାଣି, ବରଗଛ କାଁଭାଁ, ଦୋଳ ମଣ୍ଡପ କଥା ବର୍ଷକୁ ଥରେ ଦୁଇଥର ମନେପଡ଼େ ।  ଏବେ ଏକ ଅଜବ ଘଟଣା ଦେଖିବାକୁ ମିଳୁଛି । ଗାଁକୁ ସହର କରିବା ପାଇଁ ସମସ୍ତେ ଚେଷ୍ଟା କରୁଥିବା ବେଳେ, ସହରରେ ସଂକ୍ଷିପ୍ତ ଆକାରରେ ଗାଁ ସୃଷ୍ଟି କରିବା ପାଇଁ ଚେଷ୍ଟା କରାଯାଉଛି । ଗାଁରେ ଗଛ କାଟି, ପୋଖରୀ ପୋତି ରାସ୍ତା ତିଆରି କରାଯାଉଛି, ମାଟି ଘର ଭାଙ୍ଗି ପକ୍କା ଘର କରାଯାଉଛି, ଅନ୍ୟପଟେ ସହରରେ ପର୍ଯ୍ୟଟନ ପାଇଁ କୁଡ଼ିଆ ତିଆରି କରି (ଢିଙ୍କି ସହିତ), ଗଛ ଲଗାଇ, ନକଲି ଚାଷ ଜମି କରି, ହୋଟେଲରେ ଗାଉଁଲି ଖାଦ୍ୟକୁ ଗାଉଁଲି ଶୈଳୀରେ ପରସି ଲୋକଙ୍କୁ ଗାଁର ଅନୁଭୂତି ଦେବାକୁ ଚେଷ୍ଟା କରାଯାଉଛି ।

ଗାଁର ବିକାଶ ପାଇଁ ମନା ନାହିଁ । ସ୍ୱାଗତ ଯୋଗ୍ୟ । କିନ୍ତୁ ଗାଁର ମୌଳିକତାକୁ ନହରାଇ ଯଦି ଗାଁର ଉନ୍ନତି କରାଯାଇପାରନ୍ତା, ତେବେ ହିଁ ଗାଁର ପ୍ରକୃତ ବିକାଶ ହୁଅନ୍ତା । ଗାଁର ମୌଳିକତା ଓ ପ୍ରକୃତ ବିକାଶ କଥା କହିଲେ, ଆଉ ଏକ କଥା ମନକୁ ଆସେ । ଗାଁର ଭିତ୍ତିଭୂମିକୁ ଉନ୍ନତ କରିବାକୁ ଯାଇ କିମ୍ବା ଭିତ୍ତିଭୂମି ଉନ୍ନତ ହେବା କାରଣରୁ ଏବେ ଗାଁଲୋକଙ୍କ ମାନସିକତାରେ ମଧ୍ୟ ଅନେକ କୁ-ପରିବର୍ତ୍ତନ ଆସୁଛି, ଯାହାକି ଆଦୌ ଶୁଭଙ୍କର ନୁହେଁ । 

Comments

Popular posts from this blog

ନିର୍ବାଚନ ଓ ଗାଁର ମଳିମୁଣ୍ଡିଆ

ମା'ଲୋ ମୋତେ କ୍ଷମା କର୍

ସେ ରଙ୍ଗ ରହିଲେ ହେଲା