ସେ ରଙ୍ଗ ରହିଲେ ହେଲା

କିଏ କହେ ଖୁସି ଓ ଆନନ୍ଦର ପର୍ବ, କିଏ କହେ ଭାଇଚାରାର ପର୍ବ, ଆଉ କିଏ କହେ ପ୍ରେମର ପର୍ବ କିନ୍ତୁ ସମସ୍ତେ କହନ୍ତି ହୋଲି ହେଉଛି ରଙ୍ଗର ପର୍ବ କିନ୍ତୁ ବନ୍ଧୁ ଏ ରଙ୍ଗ ନୁହେଁ ସେ ରଙ୍ଗ ରହିଲେ ହେଲା


କେବଳ ହୋଲି ନୁହେଁ, ସମୟ ସହିତ ଅଧିକାଂଶ ପର୍ବ ଅବକ୍ଷୟମୁଖୀ କିଛି ପର୍ବ ତ କେବଳ ଗାଁ ଗହଳିରେ ବଞ୍ଚି ରହିଛି ଆଉ କିଛି ନିଜର ସ୍ୱତନ୍ତ୍ରତା ଓ ଲୋକପ୍ରିୟତା କାରଣରୁ ଏବେବି ଅସ୍ତିତ୍ୱ ବଜାୟ ରଖିଛି  କିନ୍ତୁ ଆଧୁନିକତାର ସ୍ପର୍ଶରେ ସେସବୁ ମଧ୍ୟ ନିଜର ପ୍ରକୃତ ସତ୍ତା ହରାଇ କେବଳ କ୍ଷଣସ୍ଥାୟୀ ଖୁସି ଓ ମଉଜ ମଜଲିସରେ ସୀମିତ ହୋଇ ରହିଛି ପର୍ବର ପ୍ରକୃତ ଆଭିମୁଖ୍ୟକୁ ସମସ୍ତେ ପାଶୋରି ଦେଉଛନ୍ତି ପର୍ବ ପାଳନ ପାଇଁ ଅଜସ୍ର ଟଙ୍କା ଓ ସମୟ ଖର୍ଚ୍ଚ ହେଉଛି, କିନ୍ତୁ ଫଳ ଫୁସ୍ ପର୍ବର ଏଭଳି ବିକୃତ ପାଳନରେ ଲାଭ କଣ?

ଏଇ ଯେମିତି ଆଲୋକର ପର୍ବ ଦୀପାବଳି କଥା ଦେଖୁନାହାନ୍ତି? ଦୀପାବଳି ହେଉଛି ଆଲୋକର ପର୍ବ, କିନ୍ତୁ ମାତ୍ରାଧିକ ଗୁରୁତ୍ୱ ଶବ୍ଦକୁ ଦୀପ, ମହମବତୀ କିମ୍ବା ଫୁଲଝରି ଅପେକ୍ଷା ବାଣର ଚାହିଦା ଅଧିକ କାମ ଚଳିବା ପାଇଁ ଗୋଟିଏ ଦୁଇଟି ଦୀପ, କିଛି ମହମବତୀ ଓ ଛୋଟଛୋଟ ପିଲା କିମ୍ବା ବାଣକୁ ଡରୁଥିବା ଲୋକଙ୍କ ପାଇଁ ଫୁଲଝରି ହେଲେ ଚଳିଲା କିନ୍ତୁ କାନଫଟା ବାଣର କୌଣସି ସୀମା ନାହିଁ ତା ପୁଣି ବାଣ କେତେ ଜୋରରେ ଫୁଟିବ, ଜୋରରେ ଶବ୍ଦ ହେବ ନା ନାହିଁ, ଫୁସକି ଯିବନିତ, ଥରେ ଫୁଟିବ ନା ଅଧିକଥର ଫୁଟିବ, ନୂଆ ପ୍ରକାର ବାଣ କଣ ଅଛି? ଏଇସବୁ କଥାକୁ ଅଧିକ ଗୁରୁତ୍ୱ କିନ୍ତୁ ସମସ୍ତେ ଭୁଲି ଯାଆନ୍ତି, ଦୀପାବଳି ଆଲୋକର ପର୍ବ, ଶବ୍ଦର ନୁହେଁ 

ଠିକ୍ ସେହିପରି ତୁଣ୍ଡରେ ପ୍ରେମ ଓ ଭାଇଚାରାର ପର୍ବ କହି ହୋଲିରେ
ଗୁରୁତ୍ୱ ଦିଆଯାଏ ଭିନ୍ନ କିଛି ବିଷୟକୁ ଯେମିତି, ରଙ୍ଗ କେତେ ସମୟ ମୁହଁରେ ରହିବ, ମୁହଁ କେତେ ବିକୃତ ଦେଖାଯିବ, ସହଜରେ ଛାଡ଼ିବନି ତ? କେହି ନିଜ ମୁହଁରେ ଲାଗିଥିବା ରଙ୍ଗ ନଛାଡ଼ୁ ବୋଲି ଚାହାନ୍ତି ନାହିଁ, କିନ୍ତୁ ସେମାନେ ଅନ୍ୟ ମୁହଁରେ ଲଗାଇଥିବା ରଙ୍ଗ ସହଜରେ ନଛାଡ଼ୁ ଯାହା ମୁହଁରେ ରଙ୍ଗ ଲଗାଯିବ ଯଦି ସେ ରଙ୍ଗ ଛଡ଼ାଇ ଛଡ଼ାଇ ନୟାନ୍ତ ନହେଲା, ତେବେ ରଙ୍ଗ ଲଗାଇ ଲାଭ କଣଅନେକଙ୍କର ଏଇଭଳି ଚିନ୍ତାଧାରା

ପ୍ରେମ ବାଣ୍ଟିବେ କଣ, ରଙ୍ଗ ଲଗାଇ ହଇରାଣ କରିବା ଚକ୍କରରେ ଅନେକେ ରାସାୟନିକ ରଙ୍ଗ ଓ ସେଥିରେ ଅଳତା ଆଦିକୁ ମିଶାଇ ଲଗାନ୍ତି ଅବଶ୍ୟ ଏସବୁ ପର୍ବ ପାଳନ ପାଇଁ କେତେ ପ୍ରାସଙ୍ଗିକ, ରଙ୍ଗ ଲଗାଇବା ଲୋକକୁ କେତେ ଆଶ୍ୱସ୍ତି ଅନୁଭବ ହୁଏ ଏବଂ ରଙ୍ଗ ମାଖିଥିବା ଲୋକକୁ କେତେ ହଇରାଣ ହେବା ପାଇଁ ପଡ଼େ, ତାହା ଭଗବାନ ଜାଣନ୍ତି କିନ୍ତୁ ସତକଥା ହେଲା, ପ୍ରକୃତରେ ଯେଉଁସବୁ ରଙ୍ଗ ଯେଉଁଠି ଚିରଦିନ ଲାଗି ରହିବା ପାଇଁ ହୋଲି ପର୍ବ ପାଳନର ଉଦ୍ଦେଶ୍ୟ ତାହା ସମସ୍ତେ ଭୁଲି ଯାଆନ୍ତି ହୋଲି ହେଉଛି ପ୍ରେମର ରଙ୍ଗ, ଭଲପାଇବାର ରଙ୍ଗ, ଭାଇଚାରାର ରଙ୍ଗ, ଖୁସି ଓ ଆନନ୍ଦର ରଙ୍ଗ ବାଣ୍ଟିବାର ପର୍ବ ମୁହଁରେ ରଙ୍ଗ ଲଗାଇବାତ ଏକ ବାହାନା, କିନ୍ତୁ ଲକ୍ଷ୍ୟ ରହିବା ଉଚିତ ମନରେ ଏସବୁ ପବିତ୍ର ରଙ୍ଗ ଲଗାଇବା ପାଇଁ ବିଷାଦ, ଚିନ୍ତା, ଦୁଃଖ, କଷ୍ଟ ଓ ଯନ୍ତ୍ରଣାରେ ଅଣନିଶ୍ୱାସୀ ହୋଇଯାଉଥିବା ମନ ଓ ଫିକା ପଡ଼ିଯାଉଥିବା ସମ୍ପର୍କକୁ ପୁଣି ଥରେ ରଙ୍ଗୀନ କରିଦେବା

ସାଧାରଣ ଅବିରରେ ଯେଉଁ କାମ ସମ୍ଭବ ତା ପାଇଁ ମୁହଁକୁ ବିକୃତ ବନାଉଥିବା ଏ ରଙ୍ଗର ଆବଶ୍ୟକତା କଣଅବିରରେ କାହାର ସେଭଳି କିଛି କ୍ଷତି ମଧ୍ୟ ହୁଏ ନାହିଁ ସମସ୍ତେ ଖୁସିରେ ଲଗାଇପାରନ୍ତି, ନଛାଡ଼ିବା ଭୟ ରହେ ନାହିଁ, ଅଳ୍ପ ପାଣିରେ ବି ଧୋଇ ଦେଲେ ଅବିର ଛାଡ଼ିଯାଏ, ପାଣି ଅଳ୍ପ ଖର୍ଚ୍ଚ ହୁଏ, ରଙ୍ଗ ଭଳି କେବଳ କଳା କିମ୍ବା ଗାଢ଼ ନାଲି ଓ ବାଇଗଣୀ ନୁହେଁ ବରଂ ବିଭିନ୍ନ ରଙ୍ଗର ଅବିର ମିଳେ, ଯେଉଁ ରଙ୍ଗ ଇଚ୍ଛା ସେହି ରଙ୍ଗର ଅବିର ଖେଳାଯାଇପାରେ


ତେବେ ଏ ମୁଣ୍ଡଫଟା ରଙ୍ଗକୁ ଏତେ ଗୁରୁତ୍ୱ କାହିଁକି? ଏ ରଙ୍ଗ ତ କ୍ଷଣସ୍ଥାୟୀ ଯେତେ ଦାମୀ ଓ କ୍ଷତିକାରୀ ରଙ୍ଗ ହେଲେ ମଧ୍ୟ ସେ ଦିନେ ଛାଡ଼ିଯିବ ଆଉ ଯଦି ନଛାଡ଼େ କିମ୍ବା ଆଖି, କାନ, ଚର୍ମ ଆଦିର କ୍ଷତି କରେ, ତେବେ ପ୍ରେମ ଓ ଭଲପାଇବା ବାଣ୍ଟିବା ପରିବର୍ତ୍ତେ ଘୃଣାର ଚିହ୍ନ ଛାଡ଼ିଯାଏ ତେଣୁ ଏଭଳି ହୋଲି ପାଳିବାର ଅର୍ଥ କଣଆଉ ତା ଛଡ଼ା ଗୋଟିଏ ଦୁଇ ଦିନ ହୋଲି ପାଳନ କରି ତା ପର ଦିନ ପୁଣି ହିଂସା, ଘୃଣା, ଶତ୍ରୁତା, ପରଶ୍ରୀକାତରତା, ବାଦ ବିବାଦ, ବିଭେଦ ଭିତରେ ଛନ୍ଦି ହୋଇଯିବା କେତେ ଯୁକ୍ତିଯୁକ୍ତହୋଲି ଖେଳିବା କଥା, ମନ ଭରି ଖେଳ ରଙ୍ଗ ଲଗାଇବା କଥା ମନଭରି ଲଗାଅ କିନ୍ତୁ ପୁଣି ଆରଥରକୁ ହୋଲି ଆସିବା ଯାଏଁ, ଏ ରଙ୍ଗ ନୁହେଁ ବରଂ ସେ ରଙ୍ଗ ରହିଲେ ହେଲା

Comments

Popular posts from this blog

ନିର୍ବାଚନ ଓ ଗାଁର ମଳିମୁଣ୍ଡିଆ

ମା'ଲୋ ମୋତେ କ୍ଷମା କର୍