ମା'ଲୋ ମୋତେ କ୍ଷମା କର୍


ତୋ ବୁକୁରେ ହଳ ଚାଲିଲେ
ଆମ ଘରେ ଚୁଲି ଜଳେ
ତୋ ଧମନୀରୁ ରକ୍ତ ଶୋଷି
ପ୍ରାଣ ବଞ୍ଚେ ମୋ ଛାତି ତଳେ
କିନ୍ତୁ ଲୋଭଗ୍ରସ୍ତ ପିଶାଚ ମୁଁ, 
କ୍ଷୀର ପରେ ରକ୍ତ, 
ରକ୍ତ ପରେ ପ୍ରାଣ ଶୋଷିବାରେ ବ୍ୟସ୍ତ, 
ହେଲେ ତୁ କେବେ ଆହା ବି କରିନୁ। 
ମା'ଲୋ ମୋତେ କ୍ଷମା କର୍,
ମୁଁ ବି କେବେ ପଚାରିନି
କେମିତି ହସୁଚୁ ତୁ? 
ଯନ୍ତ୍ରଣାର ଆଗେ ତୁ କଣ କେବେ ବି ହାରିନୁ?

ମୁଁ ନିଷ୍ଠୁର, 
ଆହା ପଦେ କହିନି
ତୋ ପଣତ ପାଉଁଶ ହେଲାବେଳେ, 
ଲୁହ ଟୋପେ ଢାଳିନି
ତୋ ନିଶ୍ୱାସରେ ବିଷ ଚରିଗଲା ବେଳେ, 
ଆତ୍ମା ମୋର କେବେବି ଝୁରିନି
ତୋ ମାତୃତ୍ୱକୁ ପଦାଘାତ କରି
ତୋତେ ଦାସୀ ଦଶା ଦେଲାବେଳେ,
ମା'ଲୋ ମୋତେ କ୍ଷମା କର୍, 
ତୋ ସନ୍ତାନ ହୋଇବି
ବିଷମଞ୍ଜି ବୁଣିଚି ଅମୃତଭରା କୋଳେ।

ଅମୃତମୟୀ ତୁ, ମମତାମୟୀ ତୁ
କେମିତି ଦାନବକୁ ଧରିଲୁ ଗର୍ଭରେ? 
ତୋ ଅନ୍ତ ଚିରି ଜନ୍ମ ନେଲାବେଳେ
ଜାଣିଲୁନି କେମିତି
ମୋ ଲକ୍ଷ୍ୟ ତୋ ବକ୍ଷ ଚିରିବାରେ? 
ମା'ଲୋ ମୋତେ କ୍ଷମା କର୍, 
ତୋ ପାଟଶାଢୀକୁ ହଜେଇ ଦେଇଚି
ଅଗନା ଅଗନୀ କଂକ୍ରିଟ ବନସ୍ତରେ।

ମୁଁ ଜାଣିଛି ତୁ କ୍ଷମା କରିଦେବୁ
ମୋତେ, ତାକୁ, ସମସ୍ତଙ୍କୁ
ତୁ ତ ସର୍ବଂସହା,
କିନ୍ତୁ ମୋ କର୍ମଠୁ?
କର୍ମଠୁ କେମିତି ମିଳିବ ନିସ୍ତାର? 
ମୁଁ ଜାଣିଛି ମୁଁ ନାସ୍ତିକ
ଅପରାଧ ଅକ୍ଷମଣୀୟ ମୋ ଭଳି ମାତୃହନ୍ତାର ।

~~~0~~~

Comments

Popular posts from this blog

ନିର୍ବାଚନ ଓ ଗାଁର ମଳିମୁଣ୍ଡିଆ

ସେ ରଙ୍ଗ ରହିଲେ ହେଲା